ସତରେ, ମାହିର୍‌ ଥିଲେ ମିହିର୍‌ : ଜୀବନର କିଛି ଜଣା-ଅଜଣା ଘଟଣା

‘‘ଆମ ଦାଣ୍ଡ ୱାନ୍‌ ୱେ ଟ୍ରାଫିକ୍‌… ଯାଇ ହୁଏ କିନ୍ତୁ ଫେରି ହୁଏନି।’’ ପ୍ରଖ୍ୟାତ୍‌ ଅଭିନେତା ମିହିର ଦାସ ନିଜର ଏହି ଲୋକପ୍ରିୟ ସଂଳାପର ମାନ ରଖି ୱାନ୍‌ ୱେ ଟ୍ରାଫିକ୍‌ରେ କେଉଁ ଅଫେରା ରାଇଜକୁ ଚାଲି ଯାଇଛନ୍ତି। କିନ୍ତୁ; ପଛରେ ଛାଡ଼ି ଯାଇଛନ୍ତି ଅଭିନୟର ଅଜସ୍ର କୃତି, ଯାହାକି ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ରଚିବ। ନାଟକଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଏବଂ ତା’ ସାଙ୍ଗକୁ ଧାରାବାହିକ ଓ ବେତାର ନାଟକରେ ତାଙ୍କ ଅବଦାନ ଅତୁଳନୀୟ। ଦୀର୍ଘ ୪୦ ବର୍ଷର ଦୀର୍ଘ କ୍ୟାରିୟର୍‌। ତା’ ଭିତରେ ୨୦୦ଟି ଚଳଚ୍ଚିତ୍ରରେ ଅଭିନୟ। ଖାଲି ଅଭିନୟ ନୁହେଁ ତ ନିଖୁଣ ଅଭିନୟ। ସେ ପାଲଟିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ‘ବାଦ୍‌ଶାହା’। ତାଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ପାଇଁ କେବଳ ଅପୂରଣୀୟ କ୍ଷତି ନୁହେଁ, ଓଡ଼ଆ ଦର୍ଶକ ଓ ଜନମାନସ ପାଇଁ ଏକ ବିରାଟ ଶୂନ୍ୟତା। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ‘ସତରେ, ମାହିର୍‌ ଥିଲେ ମିହିର୍‌’। ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ‘ସମ୍ବାଦ’ର ସ୍ବତନ୍ତ୍ର ପ୍ରତିବେଦନ..।

ମାଙ୍କଡ଼ ଚାପୁଡ଼ା ଦେଇଥିଲା

ପ୍ରସନ୍ନ କୁମାର ଦାସ ଓ ସୁନ୍ଦରମଣି ଦାସଙ୍କ ଚତୁର୍ଥ ସନ୍ତାନ ଥିଲେ ମିହିର ଦାସ। ସେ ହେଉଛନ୍ତି ତିନି ଭାଇ ଓ ଦୁଇ ଭଉଣୀ। ଜନ୍ମ ହେଲା ପରେ ତାଙ୍କର ବାମ ଗୋଡ଼ ଅଳ୍ପ ବଙ୍କା ଥିଲା। ତେଣୁ ସେ ଛୋଟେଇ ଚାଲୁଥିଲେ। ଅନେକ ଦିନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିବା ପରେ ତାଙ୍କ ଗୋଡ଼ ସିଧା ହୋଇଥିଲା। କୁହନ୍ତି ଯେ ପିଲା ଦିନେ ମିହିର ବହୁତ ଦୁଷ୍ଟ ଥିଲେ। ସେ ବି ଖୁବ୍ ଖାଦ୍ୟ ପ୍ରିୟ ଥିଲେ। ମିହିରଙ୍କ ଆତ୍ମଜୀବନୀ ଅନୁଯାୟୀ, ଦୋକାନରୁ ଜଳଖିଆ ଖାଇଦେବା ପରେ ଟଙ୍କା ନଦେଇ ଦୌଡ଼ି ପଳାଉଥିଲେ। ପରେ ତାଙ୍କ ବାପାଙ୍କଠୁ ଦୋକାନୀ ଟଙ୍କା ଆଦାୟ କରୁଥିଲା। ଘରେ ଖାଉଥିବାବେଳେ ଭାତରେ କ୍ଷୀର ଗୋଳାଇ ଖାଇବାକୁ ତାଙ୍କୁ ଅଧିକ ପସନ୍ଦ ଲାଗେ। ତାଙ୍କର ପିଲାଦିନ ବାରିପଦା ବ୍ୟତୀତ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବିତିଛି। ବାପାଙ୍କ ବଦଳି ହେବା ପରେ ଛତ୍ରପୁରରେ ରହିଥିଲେ। ସ୍କୁଲ୍‌ରେ ପଢିବା ସମୟରେ ତାଙ୍କର ପାଠପଢା ପ୍ରତି ଏତେଟା ଆଗ୍ରହ ନଥିଲା। ସ୍କୁଲ୍‌ ନଯିବା ପାଇଁ ଅନେକ ବାହାନା କରୁଥିଲେ। ଏପରିକି ସ୍କୁଲ୍‌କୁ ପଠାଇଲେ କୁଅକୁ ଡେଇଁ ପଡ଼ିବେ ବୋଲି ବାପାମାଙ୍କୁ ଡରାଉଥିଲେ। ବେଳେବେଳେ ସ୍କୁଲ୍‌ ପିଅନ ଘରକୁ ଆସି ମିହିରଙ୍କୁ ଟେକି ନେଇ ଯାଉଥିଲେ। ପିଲାଦିନେ ପୋଖରୀରେ ଖେଳୁଥିବା ବେଳେ ସେ ଥରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ। ଏପରିକି ପିଲାଦିନେ ତାଙ୍କୁ ଏକ ମାଙ୍କଡ଼ ଥାପଡ଼ ମାରିଥିଲା।

ମିହିର ଭାଇଙ୍କ ଚର୍ଚ୍ଚିତ ଡାଏଲଗ୍‌

‘‘ଇଲେକ୍ସନ ଇଲେକ୍ସନ କହି ମତେ ଚମକାଇବ ନାହିଁ,
ଇଲେକ୍ସନ ବି କାକା କରେ, ସିଲେକ୍ସନ ବି କାକା କରେ…
ଆମ ଦାଣ୍ତ ଵାନ ୱେ ଟ୍ରାଫିକ, ଯାଇ ହୁଏ କିନ୍ତୁ ଫେରି ହୁଏନି…
ଜନ୍ମ ହେଲାବେଳେ କିଏ କଣ ମୁଣ୍ତେଇକି ଆଣିଥେଲା, ନା ମଲାବେଳେ ସାଙ୍ଗରେ ନେଇକିନି ଯିବ। ଆରେ ବାବୁ ଭଗବାନ ପରା ଆମକୁ ମଣିଷ ଜନ୍ମ ଦେଲେ, ମଣିଷଙ୍କ ସେବା କରିବା, ଭଲ କାମ କରିବା, ଦୁନିଆଁରେ ନାଁ କରିବା। ନହେଲେ ତ କୁକୁର ମାଙ୍କଡ଼ଙ୍କ ପରି ଜନ୍ମ ଦେଇଥାନ୍ତେ, ନହେଲେ ଗେଣ୍ତା କି ପେଚା କରିଥାନ୍ତେ, ଆଉ…ହଣାମରା ଛାଡ଼, ଭଲ ମଣିଅ ହୁଅ, ଗଡ୍‌ ବ୍ଲେସ୍‌ ୟୁ…
ଜାଣିଲ ବାବୁ, ହାମ୍‌ ଭଲ୍‌ ଲୋଗ୍‌ ମ, ଆଉ ସବ୍‌ ଭଲ୍‌ ଲୋକଙ୍କର ହମ୍‌ ବରାବର ଇଜ୍ଜତ କରୋ, ରେସ୍‌ପେକ୍ଟ କରୋ, ତୋ ଭଲ୍‌ ଲୋକଙ୍କର‌୍‌ ଫରଜ୍‌ ବନୁଛି ହାମ୍‌ କୋ ପରିସାନ କରିବ ନାଇ, ଆମର ନୁକ୍‌ସାନ କରିବ ନାଇ, ଆମ ସାଥିରେ ବେଇମାନ କରିବ ନାଇ। ହେଇ ଦିନ୍‌ ବାବୁ ଏଇଟା ଆମ କଟ୍‌କ, ଆଗ ଯେନ୍ତା ପଛ ସେନ୍ତା…’’

୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ
୧୯୫୮ ଫେବ୍ରୁଆରି ୧୭ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର। ପିଲାଦିନୁ ଅଭିନୟର ନିଶା ତାଙ୍କୁ ପ୍ରଥମେ ନାଟକ ଓ ପରେ ଚଳଚ୍ଚିତ୍ର ଜଗତକୁ ଟାଣି ଆଣିଥିଲା। ସେ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପି ଏକ ମାଇଲଖୁଣ୍ଟ ପାଲଟିଥିଲେ। ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ସେ ଓଲିଉଡ୍‌କୁ ପ୍ରାଚୁର୍ଯ୍ୟପୂର୍ଣ୍ଣ କରି ଯାଇଛନ୍ତି। ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଏଇ ତ ଦୁନିଆ, ସ୍ତ୍ରୀ, ଲକ୍ଷ୍ମୀପ୍ରତିମା, ପୁଅ ମୋର ଭୋଳାଶଙ୍କର, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ଫେରିଆ ମୋ ସୁନା ଭଉଣୀ, ଟାର୍ଗେଟ୍‌, ଗୁଣ୍ଡା, ମାଇଁ ଲଭ୍‌ ଷ୍ଟୋରି, ପହିଲି ରଜ, ଚୋରି ଚାରି ମନ ଚୋରି, ବାଜି, ଧଉଳି ଏକ୍ସପ୍ରେସ୍‌ ଆଦି ଅନ୍ୟତମ। ସେ ତାଙ୍କର ଜୀବନ୍ତ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ଜାଗା ଆବୋରିବା ସହ ବିଭିନ୍ନ ଅନୁଷ୍ଠାନ ତଥା ରାଜ୍ୟ ସରକାରଙ୍କ ତରଫରୁ ଏକାଧିକ ପୁରସ୍କାର ହାତେଇଛନ୍ତି। ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ମିଳିଥିଲା। ସେହିଭଳି ‘ଭିଜା ମାଟିର ସ୍ବର୍ଗ’ ଓ ‘ସୌଭାଗ୍ୟବତୀ’ ପାଇଁ ବି ସେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି।

ରେଭେନ୍ସାରେ ପଢ଼ିଲା ବେଳେ ମିଳିଲା ସିନେମାରେ ସୁଯୋଗ
ରେଭେନ୍ସାରେ ଡିଗ୍ରି କରୁଥିଲାବେଳେ ସେ ଦୁଇ ବର୍ଷ ପାଇଁ ନାଟ୍ୟ ସ˚ସଦ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ କଲେଜ ଡ୍ରାମାରେ ବାପା ଚରିତ୍ରରେ ଅଭିନୟ କରିବା ପାଇଁ ସେ ମନୋନୀତ ହୋଇଥିଲେ। ଏଥିରେ ଭଲ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ମଧ୍ୟ ହୋଇଥିଲେ। ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଭେଟେରାନ ଅଭିନେତା ତଥା ନିର୍ଦ୍ଦେଶକ ଗୋବିନ୍ଦ ତେଜ୍‌ ବିଚାରକ ଭାବେ ଯୋଗ ଦେଇଥିଲେ। ମିହିରଙ୍କ ଅଭିନୟ ଦେଖି ତାଙ୍କୁ ‘ରାମାୟଣ ସିନେମାରେ ‘ଶତ୍ରୁଘ୍ନ’ ଚରିତ୍ରରେ ଅଭିନୟ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସେ ମାସେ ପର୍ଯ୍ୟନ୍ତ କଲିକତା ଯାଇ ସେଠାରେ ରହିଥିଲେ। କିନ୍ତୁ ଏଥିରେ ତାଙ୍କର ଅତି ଛୋଟ ଭୂମିକା ଥିବାରୁ ଅନେକଙ୍କ ମଧ୍ୟରେ ତାହା ଅଜଣା ହୋଇ ରହିଯାଇଥିଲା।

ପରେ ‘ସ୍କୁଲ୍‌ ମାଷ୍ଟର’ ସିନେମାରେ ଅଭିନୟ କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଏହି ସିନେମା ପୂର୍ବରୁ କିଛି ଡ୍ରାମାରେ ଅଭିନୟ କରିବା ଅଭିଜ୍ଞତା ରହିଥିଲା। ତେଣୁ ଏହି ସିନେମାରେ ଅଭିନୟ କରିବାକୁ ତାଙ୍କ ପାଖରେ ଢେର ଆତ୍ମବିଶ୍ବାସ ଆସିସାରିଥିଲା। କିନ୍ତୁ ସୁଟି˚ ଆରମ୍ଭ ହେବାବେଳେ ସେ ଠିକ୍‌ରେ ଅଭିନୟ କରିପାରିନଥିଲେ। ଯେଉଁଥିପାଇଁ ନିର୍ଦ୍ଦେଶକ ତାଙ୍କୁ ଅନେକଥର ଗାଳି ଦେଇଥିଲେ। ଏହି ଗାଳି ହିଁ ପରବର୍ତ୍ତୀ ସମୟରେ ତାଙ୍କ ଅଭିନୟକୁ ଶାଣିତ କରିପାରିଥିବା ମିହିର ଏକ ସାକ୍ଷାତକାରରେ କହିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ରୁ ଅଧିକ ସିନେମାରେ ଅଭିନୟ କରିସାରିଥିବା ମିହିର ଟିଭି ଧାରାବାହିକରେ ମଧ୍ୟ କାର୍ଯ୍ୟ କରିଛନ୍ତି। ‘ପଣତ କାନି’, ‘ତିନି ତୁଣ୍ତରେ ଛେଳି କୁକୁର’, ‘ସାରା ଆକାଶ ପରି ଅନେକ ଧାରାବାହିକରେ ସେ ଅଭିନୟ କରିଛନ୍ତି।

ସଂକ୍ଷେପରେ ମିହିର
ପୁରା ନାମ: ମିହିର କୁମାର ଦାସ
ଡାକ ନାମ: ଟୁଲୁ
ଜନ୍ମ ସ୍ଥାନ: ଭଞ୍ଜପୁର, ବାରିପଦା, ମୟୁରଭଞ୍ଜ
ପ୍ରଥମ ସିନେମା: ରାମାୟଣ (୧୯୮୦)
ପରିବାର: ସ୍ବର୍ଗତ ସଙ୍ଗୀତା ଦାସ (ପତ୍ନୀ), ଅମ୍ଲାନ ଦାସ (ବଡ଼ ପୁଅ), ଅକ୍ଲାନ୍ତ ଦାସ (ସାନ ପୁଅ), ଭୂମିକା ଦାସ (ବୋହୂ)

The post ସତରେ, ମାହିର୍‌ ଥିଲେ ମିହିର୍‌ : ଜୀବନର କିଛି ଜଣା-ଅଜଣା ଘଟଣା first appeared on Sambad.

from ମନୋରଞ୍ଜନ | Sambad https://ift.tt/3zPICoe

Post a Comment

0 Comments