ପରଦାରେ ଅଫୁରନ୍ତ ହସର ଝଲକ ଦେଖାଇ ଦର୍ଶକମାନଙ୍କୁ ମୋହିତ କରିବାର କଳା ଠାରୁ ଏକ ହସଖୁସିର ପରିବାର ଭିତରେ ବାସ୍ତବ ଜୀବନ ବିତାଇବାର କଳା କେତେ ଅଲଗା ତାହା ଏବେ ଅଙ୍ଗେ ନିଭାଉଛନ୍ତି ସିନେ ଅଭିନେତ୍ରୀ ତଥା ଟିଭି ତାରକା ଶ୍ବେତା ତିଓ୍ୱାରୀ। ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ୧୯୮୦ ଅକ୍ଟୋବର ୪ ତାରିଖରେ ଜନ୍ମିତ ଶ୍ବେତାଙ୍କର ଅଭିନୟ ପ୍ରତି ପିଲାଦିନୁ ରହିଥିବା ଦୁର୍ବଳତା ତାଙ୍କୁ ପ୍ରଥମେ ୧୯୯୯ ମସିହାର ଦୂରଦର୍ଶନ ଧାରାବାହିକ ‘କଲିରେଁ’ରେ ଅଭିନୟ କରିବା ଲାଗି ସୁଯୋଗ ଆଣିଥିଲା। ଏହା ପରେ ତହିଁ ପରବର୍ଷ ‘ଆନେ ଓ୍ୱାଲା ପଲ୍‌’ରେ ମଧ୍ୟ ସେ କାମ କରିଥିଲେ। ଏଥିରୁ ସଂଗୃହୀତ ଦର୍ଶକୀୟ ସ୍ବୀକୃତି ତାଙ୍କୁ ଟିଭି ଧାରାବାହିକ ‘କହିଁ କିସି ରୋଜ୍‌’ରେ ପଦାର୍ପଣ କରାଇଥିଲା। ତେବେ ତାଙ୍କ ପାଇଁ ପ୍ରକୃତ ପରିଚିତି ଆଣିଥିଲା ‘କସୌଟି ଜିନ୍ଦଗି କେ’ର ପ୍ରେରଣା ଭୂମିକା। ଏହାପରେ ତାଙ୍କୁ ଆଉ ପଛକୁ ଫେରି ଚାହିଁବା ଦରକାର ପଡ଼ିନାହିଁ। ପଛକୁ ପଛ ‘ପର୍ଭରିସ୍‌’, ‘ବେଗୁସରାଇ’, ‘ମେରେ ଡାଡ୍‌ କୀ ଦୁଲହନ୍‌’, ‘ବିଗ୍‌ ବସ୍‌-୪’ ଓ ‘କମେଡ଼ି ସର୍କସ୍‌ କା ନୟା ଦୌର’ ଆଦି ବିଭିନ୍ନ ଧାରାବାହିକରେ ତାଙ୍କ ଅଭିନୟ ଯାଦୁ ତାଙ୍କୁ ପ୍ରଶଂସାରେ ପୋତି ଦେଇଥିଲା। ଏହିପରି ଭାବେ ସେ ଏବେ ସୁଦ୍ଧା ବିଭିନ୍ନ ଟିଭି ଚ୍ୟାନେଲ୍‌ରେ ସକ୍ରିୟ ରହିଛନ୍ତି।

ଅପରପକ୍ଷେ, ହିନ୍ଦୀ ସିନେମାରେ ତାଙ୍କର ପ୍ରଥମ ପ୍ରବେଶ ହୋଇଥିଲା ୨୦୦୪ ମସିହାରେ ‘ମଧୋସି’ ଜରିଆରେ। ସେହିବର୍ଷ ‘ଆବ୍ରା କା ଡାବ୍ରା’ ସିନେମାରେ ସେ ସୁଯୋଗ ପାଇଥିଲେ ହେଁ ଆଶାନୁରୂପ ଲୋକପ୍ରିୟତା ମିଳିନଥିଲା। ଏହାପରେ କିଛି ବର୍ଷ ନିରବ ରହିବା ପରେ ୨୦୦୯ ଯାଏ ସେ କିଛି ନେପାଳୀ, ପଞ୍ଜାବୀ, ଭୋଜପୁରୀ ଓ କନ୍ନଡ଼ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୨୦୧୦ରେ ପୁଣି ହିନ୍ଦୀ ଜଗତ୍‌କୁ ଫେରି ‘ବେନ୍ନୀ ଆଣ୍ଡ୍‌ ବବ୍‌ଲୁ’, ‘ବିନ୍‌ ବୁଲାୟେ ବରାତି’, ‘ମିଲେ ନା ମିଲେ ହମ୍‌’ ଓ ‘ମ୍ୟାରିଡ୍‌ ଟୁ ଆମେରିକା’ ପରି କିଛି ସିନେମାରେ ଅଭିନୟ କରିଥିଲେ ହେଁ ଟିଭି ମାଧ୍ୟମ ଭଳି ଦର୍ଶକୀୟ ସ୍ବୀକୃତି ପାଇପାରିନଥିଲେ। ଫଳରେ ପୁଣି ହିନ୍ଦୀ ସିନେମାରୁ ବିଦାୟ ନେଇ କିଛି ମରାଠୀ ଓ ଊର୍ଦ୍ଦୂ ପରି ଭିନ୍ନ ଭାଷାର ସିନେମାରେ ଅଭିନୟ କରିଥିଲେ। ତେବେ ତାଙ୍କ ପାଇଁ ଟିଭି ମାଧ୍ୟମ ହିଁ ସଫଳ ଓ ଶ୍ରେୟସ୍କର ସାବ୍ୟସ୍ତ ହେବା ସହ ଛଅ ଥର ଆଇଟା ସମ୍ମାନ ଓ ଆଠଥର ଟେଲି ପୁରସ୍କାର ଭେଟି ଦେଇଛି। ଦାମ୍ପତ୍ୟ ଜୀବନକ୍ରମରେ ସେ ୧୯୯୮ରେ ଅଭିନେତା ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ। ସେମାନଙ୍କର ୨୦୦୦ରେ ଏକ କନ୍ୟାସନ୍ତାନ(ପଲକ୍‌) ମଧ୍ୟ ଜନ୍ମ ନେଇଥିଲା। ମାତ୍ର ମଦ୍ୟାସକ୍ତ ସ୍ବାମୀଙ୍କ ଠାରୁ ଅସହନୀୟ ଶାରୀରିକ ନିର୍ଯାତନା ଯୋଗୁଁ ଶ୍ବେତାଙ୍କୁ ୨୦୦୭ରେ ବିବାହ ବିଚ୍ଛେଦ ପାଇଁ ଅଦାଲତର ଆଶ୍ରୟ ନେବାକୁ ପଡ଼ିଥିଲା। ଏହାପରେ ୨୦୧୩ରେ ଅଭିନେତା ଅଭିନବ କୋହଲିଙ୍କୁ ସେ ଦ୍ବିତୀୟ ବିବାହ କରିଥିଲେ। ତିନି ବର୍ଷ ପରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା।

ତେବେ ସେମାନଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ବେଶୀ ଦିନ ତିଷ୍ଠିନଥିଲା। ଅଭିନବଙ୍କ ଠାରୁ ଅନୁରୂପ ପାରିବାରିକ ହିଂସାର ଶିକାର ହୋଇ ଶ୍ବେତା ୨୦୧୯ରେ ବିବାହ ବିଚ୍ଛେଦ ପାଇଁ ଅଦାଲତର ଶରଣ ଯାଇଥିଲେ। ନିଜର ଏକମାତ୍ର କନ୍ୟା ପଲକଙ୍କ ସହ ନିଃସଙ୍ଗ ଜୀବନ କାଟୁଥିବା ଶ୍ବେତା କେଉଁଠି ତ୍ରୁଟି ରହିଗଲା ବୋଲି ଏବେ ଗୁମୁରି ହେଉଛନ୍ତି। ଏପରି ଦୁଇ ଦୁଇ ଥର ବିବାହ ବିଚ୍ଛେଦ ଭଳି ଅପ୍ରତ୍ୟାଶିତ ଝଞ୍ଜାର ସମ୍ମୁଖୀନ ହୋଇଥିବା ଶ୍ବେତାଙ୍କ ବୁକୁ ତଳର ଅବ୍ୟକ୍ତ ବେଦନାକୁ ସେ ନା କାହା ଆଗରେ ପ୍ରକାଶ କରି ଲାଘବ କରିପାରୁଛନ୍ତି ନା ଲୁଚେଇପାରୁଛନ୍ତି।

The post ବୁକୁ ତଳ ଅବ୍ୟକ୍ତ ବେଦନା first appeared on Sambad.

from ମନୋରଞ୍ଜନ | Sambad https://ift.tt/3fBXFZb