ବୟସ୍କ ଓ ବିଲକ୍ଷଣ ବ୍ୟକ୍ତିତ୍ୱ 

ଲତାଙ୍କୁ ୯୨, ମୀନାଙ୍କୁ ୯୦, ଆଶାଙ୍କୁ ୮୮, ଉଷାଙ୍କୁ ୮୬ ଆଉ ହୃଦୟନାଥଙ୍କୁ ୮୪ ବର୍ଷ ବୟସ ହେଲାଣି। ଏମାନଙ୍କ ବୟସରେ ପାଦ ଦେଇଥିବା ପ୍ରତିଭାଧର ହୁଏତ ଖୁବ୍ କମ୍ ସଂଖ୍ୟାରେ ଜୀବିତ ଅଛନ୍ତି। ଜୀବନରେ ଅନେକ ହୃଦୟକୁ ମନୋରଂଜନ ଦେଇଥିବା ଏଇ ବିଲକ୍ଷଣ ବ୍ୟକ୍ତିତ୍ବମାନେ ବୟସର ଅସ୍ତାଚଳରେ ପହଞ୍ଚିଥିଲେ ମଧ୍ୟ ସୁସ୍ଥ ଅଛନ୍ତି। ସାଧାରଣ ପରିବାରରେ ଜନ୍ମିତ ଏଇ ଭାଇଭଉଣୀମାନେ ପ୍ରତିଭାସମ୍ପନ୍ନ ଓ ସଫଳ। ପଣ୍ଡିତ ଦୀନନାଥ ମଙ୍ଗେସକର ଓ ସେବନ୍ତୀ (ସୁଧାମତୀ)ଙ୍କ ସନ୍ତାନ ଏଇ ପାଞ୍ଚ ଭାଇ ଓ ଭଉଣୀଙ୍କ ମଧ୍ୟରେ ଲତା, ଉଷା ଓ ହୃଦୟନାଥ ମଙ୍ଗେସକର ନିଜ ପୈତୃକ ସଂଜ୍ଞାରେ ପରିଚିତ ଥିବା ବେଳେ ଆଶାଙ୍କର ଭୋନସଲେ ଏବଂ ମୀନାଙ୍କର ଖାଦିକାର ସଂଜ୍ଞାକୁ ପରିବର୍ତ୍ତିତ। ହିନ୍ଦୀ ଚଳଚ୍ଚିତ୍ର ଜଗତ ପାଇଁ ଅନେକ ଚିରସବୁଜ ସଙ୍ଗୀତ ମାଧ୍ୟମରେ ଏମାନେ ଲକ୍ଷ ଲକ୍ଷ ଶ୍ରୋତାଙ୍କ ପ୍ରିୟଭାଜନ ହେଇଛନ୍ତି।

କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କୁ ଭାରତର ବୁଲବୁଲ ବୋଲି ସମ୍ବୋଧିତ କରାଯାଏ ଏବଂ ତାଙ୍କୁ ଦେଶର ସର୍ବୋଚ୍ଚ ଓ ମର୍ଯ୍ୟାଦାଜନକ ‘ଭାରତରତ୍ନ’ ଉପାଧିରେ ବିଭୂଷିତ କରାଯାଇଛି। ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଆଶା, ଗଣପାତ୍ରୋ ଭୋନସଲେଙ୍କୁ ବିବାହ କରିବା ପରେ ତାଙ୍କ ସଂଜ୍ଞା ବଦଳିଯାଇଥିଲା। ଆଶାଙ୍କ ସଙ୍ଗୀତ ଜୀବନକୁ ପୁଅ ତଥା ସ୍ୱରସଂଯୋଜକ ହେମନ୍ତ ଭୋନସଲେ ଏବଂ ନାତି ତଥା କଣ୍ଠଶିଳ୍ପୀ ଚୌତନ୍ୟ ଭୋନସଲେ ଅନୁସରଣ କରିଛନ୍ତି। ଲତାଙ୍କ ଭଉଣୀ ଉଷା ଏକାଧିକ ହିନ୍ଦୀ, ମରାଠୀ, ବେଙ୍ଗଲୀ, ନେପାଳୀ, ଭୋଜପୁରୀ ଓ ଗୁଜରାଟୀ ସଙ୍ଗୀତରେ କଣ୍ଠଦାନ କରି ଶ୍ରୋତାପ୍ରିୟ ହେଇଛନ୍ତି। ସେ ମଧ୍ୟ ଲତାଙ୍କ ପରି ଅବିବାହିତ ଅଛନ୍ତି। ମୀନା ଖାଦିକାର ମରାଠୀ ଓ ହିନ୍ଦୀ ଗୀତ ଗାଇବା ସହ ଅନେକ ଗୀତର ସ୍ୱରସଂଯୋଜନା କରିଛନ୍ତି। ତାଙ୍କ ପୁଅ ଯୋଗେଶ ମଧ୍ୟ ଜଣେ ସ୍ୱର ସଂଯୋଜକ। ହୃଦୟନାଥ ମଙ୍ଗେସକର ଜଣେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ। ସେ ମରାଠୀ ହାସ୍ୟାଭିନେତା ଦାମୁଆନ୍ନା ମାଲଭଙ୍କରଙ୍କ ଝିଅ ଭାରତୀଙ୍କୁ ବିବାହ କରିଛନ୍ତି।

The post ବୟସ୍କ ଓ ବିଲକ୍ଷଣ ବ୍ୟକ୍ତିତ୍ୱ  first appeared on Sambad.

from ମନୋରଞ୍ଜନ | Sambad https://ift.tt/31zbZyc

Post a Comment

0 Comments