ଭୁବନେଶ୍ଵର/ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ‘ମିସେସ୍ ଓ ମିସ୍ ଇଣ୍ଡିଆ କ୍ଵିନ୍ ଅଫ୍ ହାର୍ଟ୍ସ’ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ମୁକୁଟ ହାସଲ କରିଛନ୍ତି ଓଡ଼ିଶାର ସ୍ମିତା କାନୁନଗୋ । ମିସ୍, ମିସେସ୍ ଓ କ୍ଲାସିକ୍ ଆଦି ତିନିଟି ବିଭାଗ ଥିବା ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସ୍ମିତା କ୍ଲାସିକ୍ ଶ୍ରେଣୀରେ ବିଜୟୀ ହୋଇଛନ୍ତି।
ଦିଲ୍ଲୀର ଗ୍ରେଟର ନୋଏଡାସ୍ଥିତ ହୋଟେଲ କ୍ରାଉନ ପ୍ଲାଜାରେ ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ଚାଲିଥିବା ଏହି ଜାତୀୟସ୍ତରର ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟର ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କ୍ଲାସିକ ବିଭାଗରେ ଅନ୍ୟମାନଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ସ୍ମିତା।
‘ସମ୍ବାଦ’ ସହିତ କଥାବାର୍ତ୍ତା ସମୟରେ ସ୍ମିତା କହିଛନ୍ତି ଯେ ଦୀର୍ଘ ୪ ମାସ ଧରି ବିଭିନ୍ନ ପର୍ଯ୍ୟାୟରେ ଅନଲାଇନ୍ ଅଡିସନ୍ ଚାଲିଥିଲା। ଏହାର ବିଭିନ୍ନ ରାଉଣ୍ଡ ଜିତିବା ଲାଗି ଫିଟନେସରୁ ଆରମ୍ଭ କରି ବ୍ୟକ୍ତିଗତ ପ୍ରତିଭା ଏବଂ ସାଂପ୍ରତିକ ଘଟଣାବଳି ସଂପର୍କରେ ଦକ୍ଷତା ରହିବା ଜରୁରୀ। ମୁଁ ନିଜେ ଜଣେ ସୂକ୍ଷ୍ମ ଦକ୍ଷତା ତାଲିମ ପ୍ରଦାନକାରୀ । ତେଣୁ ମୋତେ ଅଧିକ ପରିଶ୍ରମ କରିବାକୁ ପଡି ନଥିଲା । କିନ୍ତୁ ସାଧାରଣ ଭାବେ ପ୍ରତିଯୋଗିତାର ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଜୋରଦାର ପ୍ରସ୍ତୁତି କରିବାକୁ ପଡ଼ିଥାଏ।
‘ମିସେସ୍ ଆଣ୍ଡ ମିସ୍ ଇଣ୍ଡିଆ କ୍ଵିନ୍ ଅଫ୍ ହାର୍ଟ୍ସ୍’ର ଚୟନ ପ୍ରକ୍ରିୟା ଏକ ଅଭିଜ୍ଞ ବିଚାରକମଣ୍ଡଳୀ ଦ୍ଵାରା ସଂପନ୍ନ ହୋଇଥିଲା । ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ପୁନିଆ, ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ବରୁଣ କାଟ୍ୟାଲ ଏବଂ ମିସ୍ ଇଣ୍ଡିଆ ଏସିଆ, ମଡେଲ ଓ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ପ୍ରଶିକ୍ଷକ ସମୀକ୍ଷା ସିଂହ ଓ ଅନ୍ୟମାନେ ଏହି ମଣ୍ଡଳୀରେ ସାମିଲ ଥିଲେ ।
ପ୍ରତିଯୋଗିତା ଜିତିବା ପରେ ଆନନ୍ଦ ପ୍ରକାଶ କରି ସ୍ମିତା କାନୁନଗୋ କହିଛନ୍ତି, ‘‘ଏହି ବିଜୟ ନିଶ୍ଚିତ ଭାବେ ବହୁତ ଆନନ୍ଦ ଦେଇଛି । ଜଣେ ଫେସନ ଡିଜାଇନର ଓ ସୂକ୍ଷ୍ମ ଦକ୍ଷତା ତାଲିମ ପ୍ରଦାନକାରୀ ଭାବେ ମୋତେ ଲାଗୁଛି ଯେ ଏବେ ମୁଁ ଅନ୍ୟ ମଡେଲ ଓ ପ୍ରତିଯୋଗୀମାନଙ୍କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରି ପାରିବି, ଯାହାଦ୍ଵାରା ସେମାନେ ନିଜ ସ୍ଵପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ଵାସର ସହିତ ଆଗକୁ ବଢି ପାରିବେ ।’’
The post ‘ମିସେସ୍ ଆଣ୍ଡ୍ ମିସ୍ ଇଣ୍ଡିଆ କ୍ଵିନ୍ ଅଫ୍ ହାର୍ଟ୍ସ’ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜିତିଲେ ଓଡ଼ିଶାର ସ୍ମିତା କାନୁନଗୋ first appeared on Sambad.from ମନୋରଞ୍ଜନ | Sambad https://ift.tt/3mHBEMx
0 Comments