ଆଇଟମ୍ ଗୀତର ନାୟିକା ନୋରା ଫତେହୀଙ୍କ ନଖରାମି

ଚଳଚ୍ଚିତ୍ର ‘ବାଟ୍‌ଲା ହାଉସ୍’ ଓ ‘ମରଯାୱାଁ’ରେ ଥିବା ଆଇଟମ୍ ଗୀତରେ ନୋରାଙ୍କ ଆଇଟମ୍ ଡ୍ୟାନ୍ସ ଦର୍ଶକଙ୍କୁ ଫିଦା କରିଥିଲା। ଏବେ କିନ୍ତୁ ମୁକ୍ତିଲାଭ ଅପେକ୍ଷାରେ ଥିବା ‘ସତ୍ୟମେବ ଜୟତେ-୨’ର ସଦ୍ୟ ପ୍ରକାଶିତ ‘କୁସୁ କୁସୁ’ ଗୀତ ଭିଡିଓରେ ନୋରାଙ୍କ ନୃତ୍ୟଶୈଳୀରେ ପ୍ରାଚ୍ୟ ଭାବଭଙ୍ଗୀ ଦେଖିବାକୁ ମିଳିଛି। ପୂର୍ବରୁ ‘ଦିଲବର୍’ ଗୀତରୁ ଉଭୟ ନୋରା ଫତେହୀ ଓ ନିର୍ଦ୍ଦେଶକ ମିଲାପ ଜାଭେରୀଙ୍କ ଯୋଡ଼ି ହିଟ୍ ହେଇଥିଲା, ଏଥିପାଇଁ ‘ମରଯାଓ୍ୱାଁ ’ ଚଳଚ୍ଚିତ୍ରରେ ଜାଭେରୀ ପୁଣି ନୋରାଙ୍କୁ ସୁଯୋଗ ଦେଇଥିଲେ। ଖାଲି ସେତିକି ନୁହେଁ, ଏହାପରେ ନୋରାଙ୍କୁ ପ୍ରଯୋଜକ ନିଖିଲ୍ ଆଡଭାନୀ ‘ବାଟ୍‌ଲା ହାଉସ’ରେ ମଧ୍ୟ ସୁଯୋଗ ଦେଇଥିଲେ।

ତେବେ ‘ସତ୍ୟମେବ ଜୟତେ-୨’ ଚଳଚ୍ଚିତ୍ରରେ ‘କୁସୁ କୁସୁ’ ଗୀତଦୃଶ୍ୟରେ ନୋରା ଯେଭଳି ନଖରାମି କରିଛନ୍ତି ତାହା ଦର୍ଶକଙ୍କୁ ରୋମାଞ୍ଚିତ କରୁଛି। ଚଳଚ୍ଚିତ୍ରରେ ଜନ୍ ଆବ୍ରାହମଙ୍କ ବ୍ୟତୀତ ହର୍ଷ ଛାୟା, ଗୌତମୀ କପୁର ଏବଂ ଅନୁପ ସୋନୀ ପ୍ରମୁଖ କଳାକାର ଅଛନ୍ତି। ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ସତ୍ୟମେବ ଜୟତେ’। ଏଥିରେ କିନ୍ତୁ ନୋରା ସାଜିଛନ୍ତି ସତୀ। ଏଇ ଚଳଚ୍ଚିତ୍ରର ପ୍ରଥମ ଭାଗ ୨୦୧୮ ସ୍ବାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିଥିଲା। ପ୍ରେକ୍ଷାଳୟରେ ଏହା ଦର୍ଶକଙ୍କୁ ପ୍ରଭାବିତ କରିଥିଲା। ଏଥିରେ ଜନ୍ ଆବ୍ରାହମ୍ ଏବଂ ମନୋଜ ବାଜପେୟୀଙ୍କ ଭୂମିକା ଯେତିକି ପ୍ରଭାବଶାଳୀ ଥିଲା, ‘ଦିଲ୍‌ବର ଦିଲ୍‌ବର’ ଆଇଟମ୍ ଗୀତର ନାୟିକା ନୋରା ଫତେହୀଙ୍କ ଜଲ୍‌ୱା ସେତିକି ଉତ୍ତେଜକ ଥିଲା। ଏଥିରେ ଥିବା ଆଇଟମ୍ ଗୀତଦୃଶ୍ୟ ଏତେ ରୋଚକ ଓ ଉପଭୋଗ୍ୟ ଥିଲା ଯେ ନୋରାଙ୍କୁ ଘରେ ଘରେ ପରିଚିତ କରିଦେଇଥିଲା।

‘ସତ୍ୟମେବ ଜୟତେ’ର ଦ୍ବିତୀୟ ଭାଗ ପୁଣି ଦର୍ଶକଙ୍କ ନଜରକୁ ଆସିବ। ଏଥିରେ ବି ନୋରାଙ୍କୁ ଆଇଟମ୍ ନାୟିକା ଭାବେ ସ୍ଥାନିତ କରାଯାଇଥିବା ‘କୁସୁ କୁସୁ’ ଆଇଟମ୍ ଗୀତଟିରୁ ସ୍ପଷ୍ଟ ହୋଇଯାଇଛି।

The post ଆଇଟମ୍ ଗୀତର ନାୟିକା ନୋରା ଫତେହୀଙ୍କ ନଖରାମି first appeared on Sambad.

from ମନୋରଞ୍ଜନ | Sambad https://ift.tt/3qx9UNA

Post a Comment

0 Comments