ସ୍ବର୍ଗତ ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏବଂ ଅଭିନେତା ମିହିର ଦାସଙ୍କ ଶେଷ ଅଭିନୀତ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’ କଞ୍ଚାଲଙ୍କା ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଛି। ଏଇ ଚଳଚ୍ଚିତ୍ରଟି ଉଭୟ ଜାତୀୟ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ଅଭିନେତା ମିହିର ଏହା ପୂର୍ବରୁ ‘ବିଧାତା’, ‘ଲକ୍ଷ୍ମୀପ୍ରତିମା’ ଓ ‘ଫେରିଆ ମୋ ସୁନାଭଉଣୀ’ରେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

‘ଭିଜା ମାଟିର ସ୍ବର୍ଗ’ର କାହାଣୀ ସରଳ ଓ ସହଜ ମାତ୍ର ଏଥିରେ ଥିବା ସଂଳାପ ଶକ୍ତିଶାଳୀ। ଓଡ଼ିଶାର ଏକ ମଫସଲ ଗାଁରେ ଅଧିବାସୀ ରଘୁ। ତାଙ୍କ ଆଶା ବାଙ୍ଗାଲୋରରେ ରହୁଥିବା ପୁଅ, ବୋହୂ ଓ ନାତି କେବେ କେବେ ଆସି ଗାଁରେ ରହନ୍ତେ। ପୁଣି ସେଇ ଗାଁରେ ରହୁଥିବା ସକୁନ୍ତଳାର ଆ‌ଶା ତାଙ୍କ ପୁଅ ଚାକିରିଟିଏ ପାଆନ୍ତା। ରଘୁଙ୍କର ‘ଆଶା’ ଆଉ ଶକୁନ୍ତଳାଙ୍କର ‘ସ୍ବପ୍ନ’। ନା କାହାର ଆଶା ପୂରଣ ହୁଏ ନା କାହାର ସ୍ବପ୍ନ ସାକାର ହୁଏ! ରଘୁଙ୍କ ଆଶା ଶେଷ ପର୍ଯ୍ୟନ୍ତ ଅଧୁରା ହୋଇ ରହେ, ମୃତ୍ୟୁ ପରେ ବି ନିଜ ପୁଅ ତାଙ୍କୁ ମୁଖାଗ୍ନି ଦେବାକୁ ଆସିପାରେ ନାହିଁ। ଏହି ଚଳଚ୍ଚିତ୍ରରେ ନାଟକୀୟତା ବା ଅତିନାଟକୀୟତାର ପଟୁ ଆଦୌ ନାହିଁ। ଦୁଇ ଚରିତ୍ର ରଘୁ (ମିହିର) ଓ ସ୍ମିତା (ଗାର୍ଗୀ); ଉଭୟଙ୍କ ଅଭିନୟରେ ସଂଳାପ ତୁଳନାରେ ଭାବନାକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଏଥିରେ ଥିବା ଚିତ୍ରନାଟ୍ୟ ପ୍ରବାହ ବି ସହଜ ଓ ଏକରୈଖିକ। ଏଥିରେ ଘଟୁଥିବା ଘଟଣା ସାଧାରଣ ଏବଂ ଅପ୍ରତ୍ୟାଶିତ ଭାବେ ଘଟୁଛି। ମୃଦଙ୍ଗ ବାଦକର ତାଳ ସହ ଝଙ୍କାଳିଆ ବରଗଛ ଦେଇ ସମୟ ବହିଯାଉଥିବାର ଦୃଶ୍ୟର ସଂଯୋଜନା ଓ ରୂପାୟନ ଏକ ଅଦ୍ଭୁତ ସଂଯୋଗ ସୃଷ୍ଟିକରୁଛି।

ଏଇ ଚଳଚ୍ଚିତ୍ରରେ କେବଳ ଆଲୋକ ସଂପାତ ହେଉଛି ଏକମାତ୍ର ନାଟକୀୟ ତତ୍ତ୍ବ ଆଧାରିତ। ପତ୍ନୀଙ୍କ ସମାଧି ସାମନାରେ ରଘୁଙ୍କ ଦୀପ ପ୍ରଜ୍ବଳନ ଏବଂ କଥୋପୋକଥନ ଏକମାତ୍ର ନାଟକୀୟ ଦୃଶ୍ୟ। ଚଳଚ୍ଚିତ୍ରର ଗତି ମନ୍ଥର କି ତୀବ୍ର ନୁହେଁ। ଉଭୟ ନିର୍ଦ୍ଦେଶକ ଏବଂ ମୁଖ୍ୟ କଳାକାର ମନମୋହନ ମହାପାତ୍ର ଓ ମିହିର ଦାସ ଆଜି ଆମ ଗହଣରେ ସଶରୀରେ ନାହାଁନ୍ତି, ମାତ୍ର ଉଭୟଙ୍କ କଳାକାର ଜୀବନର ଶେଷ ନିଷ୍କର୍ଷକୁ ‘କଞ୍ଚାଲଙ୍କା’ ଓଟିଟି ମାଧ୍ୟମରେ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

The post ମନମୋହନ ଓ ମିହିରଙ୍କୁ ‘କଞ୍ଚାଲଙ୍କା’ର ଶ୍ରଦ୍ଧାଞ୍ଜଳି first appeared on Sambad.

from ମନୋରଞ୍ଜନ | Sambad https://ift.tt/3tyQWI2