କଙ୍ଗନାଙ୍କୁ ଜାନୁଆରି ୨୫ ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ, ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ ଜାନୁଆରୀ ୨୫ ପର୍ଯ୍ୟନ୍ତ ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଗିରଫଦାରୀର ସମ୍ମୁଖୀନ ହେବେ ନାହିଁ; ଯାହା କୃଷକଙ୍କ ବିକ୍ଷୋଭକୁ ଏକ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ସହିତ ଯୋଡିଥିବା ଅଭିଯୋଗ ହୋଇଥିଲା। ଏନେଇ ମୁମ୍ବାଇ ପୁଲିସକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ।
ଚଳିତ ମାସ ପ୍ରାରମ୍ଭରେ ଅଭିନେତ୍ରୀ କଙ୍ଗନା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଚଳିତ ବର୍ଷ ନଭେମ୍ବରରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ଆବେଦନରେ କଙ୍ଗନା କହଥିଲେ ଯେ ନଭେମ୍ବର ୨୧ରେ କରାଯାଇଥିବା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଉପରେ ଅଭିଯୋଗକାରୀମାନେ ଆପତ୍ତି ଉଠାଇଥିବାବେଳେ ତାଙ୍କ ବିରୋଧରେ କୌଣସି ଆଇନଗତ ମାମଲା କରାଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, ଏକ ଶିଖ ସଂଗଠନ ମୁମ୍ବାଇର ଖାର ପୁଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରି କହିଥିଲା ଯେ ଅଭିନେତ୍ରୀ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ବିରୋଧକୁ ଖଲିସ୍ତାନୀ ଆନ୍ଦୋଳନ ଭାବେ ଚିତ୍ରଣ କରିଛନ୍ତି। ଏହା ପରେ ପୁଲିସ କଙ୍ଗନାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଅଧୀନରେ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଜାଣିଶୁଣି ଆଘାତ କରିଥିବା ଅଭିଯୋଗରେ ଏକ ମାମଲା ରୁଜ୍ଜୁ କରିଥିଲା।
ସୋମବାର ଦିନ କଙ୍ଗନାଙ୍କ ଓକିଲ ହାଇକୋର୍ଟଙ୍କୁ କହିଛନ୍ତି ଯେ ଏହି କୌଣସି ନିର୍ଦ୍ଦିିଷ୍ଟ ବ୍ୟକ୍ତି କିମ୍ବା ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବାର ସୁଚିନ୍ତିତ ଉଦ୍ଦେଶ୍ୟ ନେଇ କଙ୍ଗନା ଏପରି ପୋଷ୍ଟ କରି ନଥିଲେ।

ତେବେ, ଏହି ମାମଲାର ଶୁଣାଣି କରୁଥିବା ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ନୀତୀନ ଜାମଦାର ଏବଂ ଜଷ୍ଟିସ୍‌ ସାରଙ୍ଗ କୋଟୱାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଲିସକୁ ପଚାରିଥିଲେ ଯେ ସେମାନେ ଏହି ମାମଲାରେ ଶ୍ରୀମତୀ ରାଣାୱତଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି କି? ପୁଲିସ ପାଇଁ ହାଜର ହୋଇଥିବା ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର ଅରୁଣା ପାଇ କହିଥିଲେ ଯେ ଖାର ପୁଲିସ ଶ୍ରୀମତୀ ରାଣାୱତଙ୍କୁ ଏକ ନୋଟିସ ଜାରି କରି ପଚରାଉଚରା ପାଇଁ ସେମାନଙ୍କ ସମ୍ମୁଖରେ ହାଜର ହେବାକୁ କହିଛି। କିନ୍ତୁ, ଅଭିନେତ୍ରୀ କଙ୍ଗନା ଏପର୍ଯ୍ୟନ୍ତ ଏହାର ଉତ୍ତର ଦେଇନାହାଁନ୍ତି। ଏ ମାମଲାରେ ସେ ସହଯୋଗ କରୁନାହାଁନ୍ତି ବୋଲି ଶ୍ରୀ ପାଇ କହିଛନ୍ତି। ଅଦାଲତ ପୁଲିସର ବିବୃତ୍ତିକୁ ଗ୍ରହଣ କରି ଜାନୁଆରି ୨୫, ୨୦୨୨ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବା ସହ ସେ ପର୍ଯ୍ୟନ୍ତ କଙ୍ଗନାଙ୍କୁ ଗିରଫ ନକରିବା ପାଇଁ ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

The post କଙ୍ଗନାଙ୍କୁ ଜାନୁଆରି ୨୫ ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ, ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଲେ ବମ୍ବେ ହାଇକୋର୍ଟ first appeared on Sambad.

from ମନୋରଞ୍ଜନ | Sambad https://ift.tt/3oPxtjx

Post a Comment

0 Comments