ପରଲୋକରେ ଓଡ଼ିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ର

ଭୁବନେଶ୍ବର: ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ଦେହାନ୍ତ ଘଟିଛି। ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ତପୁ। ସେ ପ୍ରଥମେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପରେ କରୋନା ନେଗେଟିଭ୍‌ ହୋଇ ଯାଇଥିଲେ ବି ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ଘଟି ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିଲା।

କରୋନାରେ ଆକ୍ରାନ୍ତ ହୋଇ ଗତ ମେ’ ୨୦ ତାରିଖରେ ସେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା‌ରେ ସୁଧାର ନ ଆସିବାରୁ ତାଙ୍କୁ ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ‌କରୋନାରୁ ମୁକ୍ତ ହୋଇଥିଲେ ଓ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା। କିନ୍ତୁ କରୋନା ଯୋଗୁଁ ତାଙ୍କ ଫୁସ୍‌ଫୁସ୍‌ର ୭୫ ପ୍ରତିଶତ ସଂକ୍ରମିତ ହୋଇ ସାରିଥିବା ସୂଚନା ରହିଥିଲା।

୧୦୦% ଅକ୍ସିଜେନ ସପୋର୍ଟରେ ରହିଥିଲେ ସୁଦ୍ଧା ତାଙ୍କ ଶରୀରରେ ଅମ୍ଲଜାନସ୍ତର ତଳକୁ ଖସି ଚାଲିଥିଲା। ତେଣୁ ଡାକ୍ତରମାନେ ଏକ୍‌ମୋ ମେସିନ୍‌ ଲଗାଇବାକୁ ପରାମର୍ଶ ଦେଇପାରନ୍ତି ବୋଲି ତପୁଙ୍କ ବଡ଼ ଭଉଣୀ ଧ୍ରୁତିଦୀପା ନିକଟରେ ସର୍ବସାଧାରଣରେ ପ୍ରକାଶ କରିବା ସହ ଆର୍ଥିକ ସହାୟତା ମଧ୍ୟ ଚାହିଁଥିଲେ।

ଉଲ୍ଳେଖଯୋଗ୍ୟ, ତପୁ ମିଶ୍ର ଓଡ଼ିଆ ସଂଗୀତ ଦୁନିଆର ଜଣେ ପରିଚିତ ଚେହେରା। ପାଖାପାଖି ୨୦୦ ଚଳଚ୍ଚିତ୍ରରେ ଗୀତ ଗାଇଥିବା ଏହି କଣ୍ଠଶିଳ୍ପୀ ୨୦୦୩ ମସିହାରେ ‘କୁଳନନ୍ଦନ’ ଚଳଚ୍ଚିତ୍ରରୁ ତାଙ୍କ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଗୀତ ଗାଇ ଦୀର୍ଘ ଦୁଇ ଦଶନ୍ଧି ଧରି ଓଲିଉଡ୍‌ ସହ ଯୋଡ଼ି ହୋଇ ଅଛନ୍ତି। ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରୁ ‘ଆ ମାନେ ଆନନ୍ଦପୁର…’, ‘ଆଇ ଲଭ୍‌ ୟୁ…’, ‘ଇସ୍କ ତୁ ହିଁ ତୁ…’ ଆଦି ଅନ୍ୟତମ। ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ  ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଓଡ଼ିଶାର ଆହୁରି ଅନେକ ପୁରସ୍କାର ସେ ପାଇଛନ୍ତି।

 

The post ପରଲୋକରେ ଓଡ଼ିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ର first appeared on Sambad.

from ମନୋରଞ୍ଜନ | Sambad https://ift.tt/2TOge4M

Post a Comment

0 Comments