ଅକ୍ଷୟ ମହାନ୍ତିଙ୍କ ସ୍ବରାରୋପିତ ଜଗନ୍ନାଥଙ୍କ ଉପରେ ଆଧାରିତ ଏସବୁ ଚଳଚ୍ଚିତ୍ରର ଗୀତ ଆଜି ବି ଲୋକପ୍ରିୟ 

ଭୁବନେଶ୍ବର: ଆଜି ହେଉଛି ଚିରସବୁଜ ଗାୟକ, ଓଡ଼ିଆ ସଙ୍ଗୀତର ବାଦଶାହା ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ। ସେ ଏକାଧାରରେ ଜଣେ ଗାୟକ, ଗୀତିକାର, ସଙ୍ଗୀତ ନିର୍ଦେଶକ, ଲେଖକ, ଅଭିନେତା ଓ ସିନେ ନିର୍ଦେଶକ। ସଫଳ ସଙ୍ଗୀତ ନିର୍ଦେଶକ ଅକ୍ଷୟ ମହାନ୍ତି ତାଙ୍କ ସ୍ବରସଂଯୋଜିତ ଓଡ଼ିଆ ଚଳଚ୍ଚିତ୍ରରେ ବିଭିନ୍ନ ଧରଣର ଗୀତକୁ ସ୍ଥାନ ଦେଇଥିଲେ। ଏଥିରୁ ଜଗନ୍ନାଥଙ୍କ ଉପରେ ଆଧାରିତ ଗୀତ ବାଦ୍ ପଡ଼ି ନଥିଲା। ଏଭଳି କେତେକ ଗୀତ ଆଜି ବି ଲୋକପ୍ରିୟ।

୧୯୭୯ରେ ପରଦା ଉପରକୁ ଆସିଥିବା ‘ଶ୍ରୀ ଜଗନ୍ନାଥ’ ଚଳଚ୍ଚିତ୍ରରେ ସ୍ଥାନିତ ‘ଅଧାଗଢ଼ା ଦିଅଁଙ୍କର ଦେଖ ଚକାଆଖିକୁ…..,’‘ସେତ ଭକତ ଭାବରେ ବନ୍ଧାରେ..’ଏବଂ ‘କାଳିଆ ଆସିଲା, ଭାଇ କାଳିଆ ଆସିଲା, କାଳିଆ ଆସିଲା ଭାଇ…’ଗୀତ ତିନିଟି ଆଜି ମଧ୍ୟ ଶ୍ରୋତା ମାନସକୁ ଉଦ୍‌ବେଳିତ କରେ। ପ୍ରଥମଟିର ରଚୟିତା ଓ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ହୋଇଥିବା ବେଳେ ଦିତୀୟ ଓ ତୃତୀୟଟିର ଗୀତିକାର ଥିଲେ ବିନୋଦିନୀ ଦେବୀ ଏବଂ କଣ୍ଠଦାନ କରିଥିଲେ ଏସ୍‌.ଜାନକୀ। ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ଓଡ଼ିଆ ଚଳଚ୍ଚିତ୍ର ନାରେ ନିର୍ମିତ ‘ଶ୍ରୀ ଜଗନ୍ନାଥ’ର ଗୀତଗୁଡ଼ିକ ଖୁବ୍‌ ଶ୍ରୁତିମଧୁର ହେବା ସହ ଲୋକପ୍ରିୟତା ମଧ୍ୟ ଲାଭ କରିଥିଲା।

୧୯୮୮ରେ ମୁକ୍ତିଲାଭ ଓଡ଼ିଆ ସିନେମା ‘ପୁଅ ମୋର କଳାଠାକୁର’ର ଟାଇଟଲ୍‌ ଗୀତଟି ବି ପ୍ରଭୁ ଜଗନ୍ନାଥଙ୍କ ଉପରେ ଅଧାରିତ। ଏଥିରେ କଣ୍ଠଦାନ କରିଥିଲେ କବିତା କୃଷ୍ଣମୂର୍ତ୍ତି ,ଗୀତ ରଚନା କରିଥିଲେ ଶୀର୍ଷାନନ୍ଦ ଦାସକାନୁନ୍‌ଗୋ ଓ ଏହାକୁ ସଂଗୀତରେ ସଜାଇଥିଲେ ଅକ୍ଷୟ ମହାନ୍ତି। ସେହିବର୍ଷ ପ୍ରେକ୍ଷାଳୟକୁ ଆସିଥିବା‘ସୁନା ଚଢ଼େଇ’ରେ ଥିବା ଗୀତ ‘କାଳିଆ କାଳିଆ ଅଛି କିଏ କହ ଆଉ ତୋହରି ଭଳିଆ…’ଏକ ଚମତ୍କାର ସଂଯୋଜନା। ଅକ୍ଷୟ ମହାନ୍ତିଙ୍କ ସ୍ୱର ସଂଯୋଜିତ ଏହି ଗୀତରେ କଣ୍ଠଦାନ କରିଥିଲେ ବଲିଉଡ କଣ୍ଠଶିଳ୍ପୀ ମହେନ୍ଦ୍ର କପୁର୍‌।

ଏହାପରେ ଅକ୍ଷୟ ମହାନ୍ତିଙ୍କ ସ୍ୱର ସଂଯୋଜିତ ବେଶ୍‌ କେତୋଟି ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଗୀତ ରଖାଯାଇଥିଲା। ଏଥିମଧ୍ୟରୁ ‘ତୁମରି ଦୁଆରୁ ଖାଲି ହାତ ନେଇ କେହି ତ ଯାଏନା ଫେରି…’(ମମତାର ଡ଼ୋରି), ‘ଚକାଆଖି ସବୁ ଦେଖୁଛି ସୁଖଦୁଃଖ ସବୁ ବୁଝୁଛି…’(ଆସୁଛି ମୋ କାଳିଆ ସୁନା),‘ଦରିଆ କୂଳରେ ବସି ଦରିଆ ସେପାରିକୁ ଆଣିଲ ଟାଣି…(ପରଦେଶୀ ଚଢ଼େଇ), ‘ଜୀବନ ପ୍ରଦୀପ ମୋର ଯାଉ ପଛେ ଜଳି…’(ଆମ ଘର ଆମସଂସାର),‘କାଳିଆ ଭରସା…’(କାଳିଆ ଭରସା) ଓ କଳିଯୁଗର ନାରାୟଣ… (ଜୟ ଜଗନ୍ନାଥ) ଆଦି ଉଲ୍ଲେଖନୀୟ।



from ମନୋରଞ୍ଜନ – Sambad https://ift.tt/34KN3BH

Post a Comment

0 Comments